June 22, 2025

odishainsight.com

ମନ୍ତ୍ରୀ ଙ୍କ ଦାବି ଓଡିଶା ରେ ହବ ନୂତନ ସୂର୍ଯ୍ୟୋଦୟ ; ହେଲେ ବଜେଟ କହୁଛି ବାଜି ମାରି ନେଲେ ଆନ୍ଦ୍ର ଓ ବିହାର |

ସମ୍ବଲପୁର ସହ ଓଡ଼ିଶାରେ ଆର୍ଥିକ, ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରରେ ହେବ ନୂତନ ସୂର୍ଯ୍ୟୋଦୟ – ସତୀଶ ଚନ୍ଦ୍ର ଦୁବେ

ହେଲେ ଓଡିଶା ଠୁ କମ MP ଥାଇ ବାଜି ମାରିନେଲେ ଆନ୍ଦ୍ର ଓ ବିହାର | ଉଭୟ ଙ୍କ ପାଇଁ ଭଣ୍ଡାର ଖୋଲିଦେଲେ ମୋଦୀ | ଜଣକୁ 15000 କୋଟି ଆଉ ଜଣକୁ 60000 କୋଟି ର ପ୍ୟାକେଜ | ସବୁ ବର୍ଷ ବିପଯ୍ୟୟ କୁ ସାମ୍ନା କରୁଥିବା ଓଡିଶା ଭାଗରେ ନାହିଁ କିଛି |

 କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳିବାକୁ ଥିବା ଲାଭ ଉପରେ ଦେଲେ ବିସ୍ତୁତ ସୂଚନା
 ଗରିବ, ଚାଷୀ, ମହିଳା, ଯୁବବର୍ଗଙ୍କ କଲ୍ୟାଣରେ ହିଁ ଆଗକୁ ବଢିବ ଭାରତ
 ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ | ହେଲେ ଓଡିଶା ର ଭାଗ କେତେ ?

ସମ୍ବଲପୁର/ଭୁବନେଶ୍ୱର, ୨୮.୦୭ – ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥାପନ ହୋଇଥିବା ବିକଶିତ ଭାରତ ବଜେଟରୁ କଳା, ସଂସ୍କୃତିର ସହର ସମ୍ବଲପୁର ସମେତ ଓଡ଼ିଶାରେ ଆର୍ଥିକ, ଉଦ୍ୟୋଗିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ନୂତନ ସୂର୍ଯ୍ୟୋଦୟ ହେବ ବୋଲି ରବିବାର ସମ୍ବଲପୁର ଠାରେ ଏକ ପ୍ରେସମିଟକୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ।

ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଦୁବେ କେନ୍ଦ୍ରୀୟ ବଜେଟ୍ ଉପରେ ବିସ୍ତୁତ ଅବଗତ କରାଇବା ସହ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ଲକ୍ଷ୍ୟରେ ବଜେଟ୍ ଉପସ୍ଥାପିତ କରାଇଯାଇଛି ବୋଲି କହିଛନ୍ତି । କେନ୍ଦ୍ର ବଜେଟରୁ ଓଡ଼ିଶାକୁ ମିଳୁଥିବା ଲାଭ ଉପରେ ସେ କହିଛନ୍ତି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ରାଜ୍ୟକୁ ସାମିଲ କରି ଏହି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ “ପୂର୍ବୋଦୟ” ନାମକ ଏକ ଯୋଜନା କରାଯାଇଛି । ଓଡ଼ିଶାର ଦର୍ଶନୀୟ ସ୍ଥାନ, ମନ୍ଦିର, ସ୍ମାରକୀ, ପ୍ରାକୃତିକ ସମ୍ପଦ, ବନ୍ୟଜନ୍ତୁ ଏବଂ ପ୍ରାଚୀନ ସାମୁଦ୍ରିକ ତଟ ଗୁଡିକର ବିକାଶ କରଯାଇ ଏସବୁକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ନିର୍ମାଣ କରାଯିବ । ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବେ ।

ହେଲେ ଚଳିତ ବଜେଟ କୁ ଦେଖିଲେ ଲାଗୁଚି ଯେ ବିଜେପି ସରକାର ନିଜ ସରକାର ବଂଚେଇବାକୁ ଏ ବଜେଟ ବାନେଇଛନ୍ତି | ଉକ୍ତ ବଜେଟ ରେ ଆନ୍ଦ୍ରପ୍ରଦେଶ ଓ ବିହାର କୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଛି | ଆନ୍ଦ୍ରପ୍ରଦେଶ କୁ 15000 କୋଟି ଓ ବିହାର କୁ 60000 କୋଟି ର ପ୍ୟାକେଜ ଘୋଷଣା କରା ଯାଇଛି |

ହେଲେ ମନ୍ତ୍ରୀ ଦାବି କରିଛନ୍ତି ଏହି ବଜେଟରେ ବିଶେଷ କରି ନିଯୁକ୍ତି, ଦକ୍ଷତା, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗ ଉପରେ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହେଲେ ବିକାଶ ଓ ସୁଯୋଗ ବୃଦ୍ଧି ପାଇବ, ଯାହା ଓଡ଼ିଶାର ଯୁବପିଢ଼ିଙ୍କୁ ବେଶ୍ ଉପକୃତ କରିବ। ଶିକ୍ଷା ବଜେଟ୍ ନେଇ ଶ୍ରୀ ଦୁବେ କହିଛନ୍ତି ଯେ ମୋଦୀ ସରକାର ଶିକ୍ଷା କ୍ଷେତ୍ରରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ୪,୩୧୧.୩୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହା ଶିକ୍ଷା କ୍ଷେତ୍ରରେ ଯୁବପିଢିଙ୍କୁ ସହାୟକ ହୋଇଛି । ମୋଦୀ ସରକାର ଓଡିଶା ଦକ୍ଷତା ବିକାଶ ଯୋଜନା ପାଇଁ ୧୩୫.୩୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ଯାହାଦ୍ୱାର ଯୁବପିଢିଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କ୍ଷମତା ବୃଦ୍ଧି ହେବ । ୨୦୨୨-୨୩ ଏବଂ ୨୦୨୩-୨୪ ମଧ୍ୟରେ ଓଡିଶାକୁ ମନରେଗାରେ ୯ ହଜାର ୪୧୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋଦୀ ସରକାର ମାଗଣା ବିଜୁଳି ଯୋଜନା ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ଗାଁରୁ ସହର ସମସ୍ତ ଲୋକମାନେ ସୁବିଧା ପାଇପାରିବେ । ଏହି ଯୋଜନାରେ ୩୦୦ ୟୁନିଟ୍ ବିଜୁଳି ମାଗଣା ମିଳିବ । ଓଡିଶାକୁ ରେଳ ବଜେଟରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ୨୦୦୯-୧୪ ରୁ ୨୦୨୪ ମଧ୍ୟରେ ୧୨.୫ ଗୁଣା ଅର୍ଥାତ ୮୩୫ କୋଟିରୁ ବୃଦ୍ଧି କରି ୧୦,୫୮୬ କୋଟି ଟଙ୍କା କରାଯାଇଛି । ରେଳ ଲାଇନର ସଂଯୋଗୀକରଣ ଏବଂ ଉନ୍ନତି କ୍ଷେତ୍ରରେ ବିକାଶ କରାଯାଇପାରିବ |

ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ୨୫ ହଜାର ଗ୍ରାମୀଣ ବସ୍ତି ଗୁଡ଼ିକୁ ଯାତାୟତକୁ ସୁଗମ କରାଯିବ । ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନରେ ଆଦିବାସୀ ବହୁଳ ଗାଁ ଓ ଆକାକ୍ଷୀଂ ଜିଲ୍ଲାରେ ଆଦିବାସୀଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ୬୭ ହଜାର ଗାଁକୁ ସାମିଲ କରାଯିବ । ଏହା ଦ୍ୱାରା ୫ କୋଟି ଆଦିବାସୀଙ୍କୁ ଲାଭ ମିଳିବ । ସରକାରଙ୍କ ଫୋକସରେ ୪ ସମୂହ ଯଥା ଗରିବ, ମହିଳା, ଯୁବକ ଏବଂ ଅନ୍ନଦାତାମାନେ ବିଶେଷ ଲାଭବାନ ହେବେ । ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନାକୁ ୫ ବର୍ଷ ବଢ଼ାଇ ଦିଆଯାଇଥିବା ବେଳେ ଏହା ଦ୍ୱାରା ୮୦ କୋଟିରୁ ଅଧିକ ଲୋକଙ୍କୁ ଲାଭ ମିଳିବ । ବିକଶିତ ଭାରତ ପାଇଁ ସବୁ ପ୍ରକାରର ପଦକ୍ଷେପ ନିଆଯାଉଛି । ମୋଦୀ ସରକାର ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ସମର୍ଥନରେ ୨୦୪୭ ସୁଦ୍ଧା ଦେଶର ସବୁଠାରୁ ଶକ୍ତିଶାଳୀ ଦେଶ ଭାରତ ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଓଡ଼ିଶାରେ ୨୧ରୁ ୨୦ଟି ସିଟ୍ ମିଳିଛି । ଓଡ଼ିଶାବାସୀ ଯେଉଁ ସମ୍ମାନ ଭାରତୀୟ ଜନତା ପାର୍ଟିକୁ ଦେଇଛନ୍ତି ସେଥିପାଇଁ ସମସ୍ତଙ୍କ ଧନ୍ୟବାଦ । ଡବଲ ଇଞ୍ଜିନର ସରକାର ନିଶ୍ଚିତ ରୂପରେ ଓଡ଼ିଶାକୁ ସେହି ବିକାଶ ଶିଖରରେ ପହଞ୍ଚାଇବାକୁ ପ୍ରୟାସ କରିବ ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦୁବେ କହିଛନ୍ତି ।